୧୯୬୫ -୬୬ ମସିହାରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓ ପରବର୍ତ୍ତୀ ସମୟରେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ସାହାଯ୍ୟ ସଂସ୍ଥା ଗଠିତ ହୋଇଥିଲା | ବର୍ତ୍ତମାନ ଏହା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଏକ ସମନ୍ୱିତ ବିଭାଗ ଭାବରେ କାର୍ଯ୍ୟ ନିର୍ବାହ କରୁଅଛି | ସଂସ୍ଥା ସ୍ଥାପନ ଠାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଏହି ସହାୟତା ସଂସ୍ଥାର କାର୍ଯ୍ୟ ପରିସର ବିଭିନ୍ନ ଦିଗରେ ପରିବର୍ଦ୍ଧିତ ହୋଇଅଛି | ବର୍ତ୍ତମାନ ଏହା ବିପର୍ଯ୍ୟୟ ପରିଚାଳନା ତଥା:- ବିପର୍ଯ୍ୟୟ ନିରାକରଣ, ବିପର୍ଯ୍ୟୟ ପ୍ରଶମନ, ବିପର୍ଯ୍ୟୟ ପାଇଁ ପ୍ରସ୍ତ୍ରୁତି, ବିପର୍ଯ୍ୟୟ ଦ୍ୱାରା କ୍ଷୟକ୍ଷତିର ଭରଣା ଓ ତତପରବର୍ତ୍ତୀ ସହାୟତା ଏବଂ ଥଇଥାନ ବିଷୟ ଉପରେ କାର୍ଯ୍ୟ କରୁଛି | ବିପର୍ଯ୍ୟୟ ସମୟରେ ତ୍ୱରିତ ସହାୟତା,ଉଦ୍ଧାର କାର୍ଯ୍ୟ ,ପୁନଃନିର୍ମାଣ ଏବଂ ଥଇଥାନ କାର୍ଯ୍ୟ ପାଇଁ ଏହି ସଂସ୍ଥା ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ଏବଂ ସହଯୋଗିତା ରକ୍ଷା କରି କାର୍ଯ୍ୟ କରିଥାଏ | ଓଡିଶା ବିପର୍ଯ୍ୟୟ ପ୍ରଶମନ କତୃପକ୍ଷଙ୍କ (ଓ ଏସ ଡି ଏମ ଏ ) ସହାୟତାରେ ରାଜ୍ୟର ସମସ୍ତ କ୍ଷେତ୍ରରେ ବିପର୍ଯ୍ୟୟ ପ୍ରସ୍ତୁତି କରଣ କ୍ଷେତ୍ରରେ କାର୍ଯ୍ୟ କରୁଅଛି | ବିପର୍ଯ୍ୟୟ ସମୟରେ ତ୍ୱରିତ କାର୍ଯ୍ୟନୁଷ୍ଠାନ ହେଉଛି ସ୍ୱତନ୍ତ୍ର ସାହାଯ୍ୟ ସଂସ୍ଥାର ଏକ ପ୍ରମାଣ ଚିହ୍ନ | ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ର ରାଜୀବଭାବନ ,ଭୁବନେଶ୍ୱର ଠାରେ ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ସହିତ ଦିବାରାତ୍ର କାର୍ଯ୍ୟ କରୁଅଛି |
ସ୍ୱତନ୍ତ୍ର ରିଲିଫ କମିସନର (ଏସ ଆର ସି )ଏହି ସଂସ୍ଥାର ମୁଖ୍ୟ ଯିଏକି ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବରେ ଉଭୟ ପ୍ରଶାସନିକ ଏବଂ ଆର୍ଥିକ କ୍ଷମତାର ଅଧିକାରୀ ଅଟନ୍ତି |ତାଙ୍କୁ ସମସ୍ତ କାର୍ଯ୍ୟ ସମ୍ପାଦନା କ୍ଷେତ୍ରରେ କେତେଜଣ ଅଭିଜ୍ଞ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ସହାୟତା କରିଥାନ୍ତି | କୌଣସି ପ୍ରାକୃତିକ ବିପର୍ଯ୍ୟୟ କାଳରେ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟାଳୟ ଦିନରାତି ଚାଲୁରହେ |
୧୯୯୪ ମସିହା ଠାରୁ ଓଡିଶା ରାଜ୍ୟ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହୋଇ ଆସୁଛି |ଏହି ବାରମ୍ବାର ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଉନ୍ନତି କାର୍ଯ୍ୟ ବାଧାପ୍ରାପ୍ତ ହେଉଅଛି | ତ୍ୱରିତ କାର୍ଯ୍ୟଧାରାକୁ ବଜାୟ ରଖି ସ୍ୱତନ୍ତ୍ର ସାହାଯ୍ୟ ସଂସ୍ଥା ଏହି ବିପର୍ଯ୍ୟୟ ଦ୍ୱାରା ଯେପରି କମ ରୁ ଅତି କମ ଧନ ଜୀବନ ନଷ୍ଟ ହେବ ସେଥିପାଇଁ ସଦା ସର୍ବଦା କର୍ତ୍ତବ୍ୟରତ |୧୯୯୯ ମସିହା ମହାବାତ୍ୟା ପରଠାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ ଆସିଛି | ଯାହା ଦ୍ୱାରା ଏକ ସ୍ୱୟଂଚାଳିତ ମୁକାବିଲା ପଦ୍ଧତି ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି |
ରାଜ୍ୟ ସ୍ତରରେ ,ଉପର ବର୍ଣ୍ଣିତ ଅଭିପ୍ରାୟର ବାସ୍ତବ କାର୍ଯ୍ୟକାରିତା ନିମନ୍ତେ ,କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୭୫:୨୫ ଆନୁପାତିକ ଭାଗିଦାରିରେ ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିଶ କ୍ରମେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଗଠନ କରାଯାଇଛି | ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ଦ୍ୱାରା ଏହି ପାଣ୍ଠି ପରିଚାଳିତ ହୋଇଥାଏ | ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ବିନିଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମୟାନୁକ୍ରମେ ପରାମର୍ଶ କରି କେନ୍ଦ୍ରସରକାର ଏକ ନିର୍ଦ୍ଧିଷ୍ଟ ମାର୍ଗଦର୍ଶିକା ଜାରିକରିଛନ୍ତି |
ରାଜ୍ୟରେ ଯେ କୌଣସି ବିରଳ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିବା କାଳରେ ଭାରତ ସରକାର ତତଜନିତ କ୍ଷୟକ୍ଷତିର ଆକଳନ କରି ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନ ଡି ଆର ଏଫ ) ରୁ ସହାୟତା ରାଜ୍ୟସରକାରଙ୍କୁ ଯୋଗାଇଦେଇଥାନ୍ତ | ରାଜ୍ୟ କାର୍ଯ୍ୟକାରୀ କମିଟି କେନ୍ଦ୍ର ସରକାରଙ୍କ ଠାରୁ ଏନ ଡି ଆର ଏଫ ରୁ ମିଳିଥିବା ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ବିଭିନ୍ନ ଖର୍ଚ୍ଚ ବାବଦରେ ନିର୍ଣ୍ଣୟ କରିଥାଏ |
ସଂପ୍ରତି ସ୍ୱତନ୍ତ୍ର ସାହାଯ୍ୟ ସଂସ୍ଥାରେ ନିମ୍ନ ବର୍ଣ୍ଣିତ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି |